୧.୮୮ ଲକ୍ଷ କୋଟିର ଜିଏସ୍‌ଟି ଠକେଇ, ୧୩୨ ଜଣ ଗିରଫ

୧.୮୮ ଲକ୍ଷ କୋଟିର ଜିଏସ୍‌ଟି ଠକେଇ, ୧୩୨ ଜଣ ଗିରଫ

୨୦୨୪ ଏପ୍ରିଲଡିସେମ୍ବର ଅବଧିରେ ସାରା ଦେଶରେ ୧.୮୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦାଫାଶ କରିଛନ୍ତି କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ । ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ଚୌଧୁରୀ କହିଛନ୍ତି, ଏହି ଅବଧିରେ ୭୨,୩୯୩ ଇନ୍‌ପୁଟ ଟାକ୍ସ କ୍ରେଡିଟ (ଆଇଟିସି) ଠକେଇ ମାମଲା ସାମ୍ନାକୁ ଆସିଛି । ୧୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦,୨୧୮ କୋଟି ଟଙ୍କା ଆଦାୟ କରାଯାଇଛି । ଆର୍ôଥକ ବର୍ଷ ୨୦୨୩-୨୪ ଅବଧିରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀମାନେ ୨୦,୫୮୨ ମାମଲାରେ ୨.୩୦ ଲକ୍ଷ କୋଟିର ଜିଏସ୍‌ଟି ଠକେଇ ଠାବ କରିଥିଲେ ।

ଏହି ମାମଲା ଗୁଡ଼ିକରେ ୩୧,୭୩୫ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ୨୨୩ ଲୋକଙ୍କୁ ଗିରଫ କରାଯାଇଥିଲା । ୨୦୨୧-୨୨ ଏବଂ ୨୦୨୨-୨୩ ଅବଧିରେ ଏହି ଠକେଇ ପରିମାଣ ଯଥାକ୍ରମେ ୭୩,୨୩୮ କୋଟି ଏବଂ ୧.୩୨ ଲକ୍ଷ କୋଟି ଟଙ୍କା ରହିଥିଲା । ଜିଏସ୍‌ଟି ବ୍ୟବସ୍ଥାରେ ୪ଟି ପ୍ରମୁଖ ସ୍ଲାବ ଯଥା-୫%,୧୨%,୧୮% ଏବଂ ୨୮% ଭାବେ ଟିକସ ଆଦାୟ କରାଯାଉଛି । ସୁନା, ରୁପା, ହୀରା ଏବଂ ଗହଣା କ୍ଷେତ୍ରରେ ୩ଟି ସ୍ୱତନ୍ତ୍ର ହାର ୩%, ୧.୫% ଏବଂ ୦.୨୫% ଲାଗୁ ହେଉଛି । ତମାଖୁ, ତମାଖୁ ଜାତୀୟ ଉତ୍ପାଦ, ଗାଡ଼ି ଏବଂ ମୃଦୁ ପାନୀୟ ଉପରେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଲାଗୁ କରାଯାଉଛି ।

ଜିଏସ୍‌ଟିର ଜାଲ୍‌ ପଞ୍ଜୀକରଣ ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅଧିକାରୀ ମାନେ ୨୦୨୩ ମେରୁ ଅଗଷ୍ଟ ଏବଂ ୨୦୨୪ ଅଗଷ୍ଟରୁ ଅକ୍ଟୋବର ଯାଏ ସ୍ୱତନ୍ତ୍ର ଅଭିଯାନ ହାତକୁ ନେଇଥିଲେ । ପ୍ରଥମ ଅଭିଯାନରେ ୨୧,୮୦୮ ଜାଲ୍‌ ଜିଏସ୍‌ଟିଏନ୍‌ ଏବଂ ୨୪,୩୫୭ କୋଟିର ଟିକସ ଠକେଇ ଠାବ କରିବାକୁ ସକ୍ଷମ ହୋଇଥିଲେ ଅଧିକାରୀ ।

ଏହି ସମୟରେ ୮ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୬୮,୩୯୩ ଜାଲ୍‌ ଜିଏସ୍‌ଟିଏନ୍‌ ଏବଂ ୨୫,୩୪୬ କୋଟିର ଠକେଇ ସାମ୍ନାକୁ ଆସିଥିଲା । ଏଥିରେ ୧୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜିଏସ୍‌ଟି ଠକେଇ ଠାବ କରିବା ଲାଗି ଟିକସ ଅଧିକାରୀ ମାନେ ବିଶେଷ କରି ବିକ୍ରିକୁ କମ୍‌ କରି ଦେଖାଇବା, ଜାଲ୍‌ ଇନ୍‌ଭଏସ ପ୍ରଦାନ ଏବଂ ଜାଲ୍‌ ଇନ୍‌ପୁଟ ଟିକସ କ୍ରେଡିଟ ଭଳି ପ୍ରମୁଖ ଦିଗ ଗୁଡିକୁ ଦେଖିଥାନ୍ତି ।

ଯଦି କୌଣସି ବ୍ୟକ୍ତି ବିଶେଷ ଠିକସ ଫାଙ୍କିଥିବା ଅଧିକାରୀ ମାନେ ଜାଣିବାକୁ ପାନ୍ତି ତାଙ୍କ ବିରୋଧରେ ଜରିମାନା, ସୁଧ ଏବଂ ଜେଲ ଦଣ୍ଡ ରହିଛି । ଜିଏସ୍‌ ଟି ଆଇନରେ ଅନୁପାଳନକୁ ଦୃଢ଼ କରିବା ଏବଂ ଟିକସ ଫାଙ୍କି ଉପରେ ରୋକ ଲଗାଇବା ଲାଗି ବିଭିନ୍ନ ନିୟମ ରହିଛି । ତେବେ କମ୍ପାନି ଗୁଡିକ ଟିକସ ଫାଙ୍କିବା ଲାଗି ଜାଲ୍‌ ସଂସ୍ଥାଙ୍କ ସହ କାରବାର ସହ କମ୍‌ କାରବାର ମଧ୍ୟ ଦେଖାଇଥାନ୍ତି ।

ଟିକସ ପ୍ରଦାନ ନ କରିବା ଏବଂ ଧାର୍ଯ୍ୟ ଟିକସ ତୁଳନାରେ ଅପେକ୍ଷାକୃତ କମ୍‌ ଟିକସ ଦେବା ମଧ୍ୟ ଟିକସ ଫାଙ୍କି ପରିସରଭୁକ୍ତ ହୋଇଥାଏ । ୨୦୧୭ରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ଏ କ୍ଷେତ୍ରରେ ଟିକସ ଫାଙ୍କି ଲଗାତାର ବଢ଼ି ଚାଲିଛି । ୨୦୧୭- ୧୮ରେ ଏହା ୭୮୭୯ କୋଟି ଥିବା ବେଳେ ୨୦୧୮-୧୯ରେ ୧୯,୩୧୯ କୋଟି, ୨୦୧୯- ୨୦ରେ ୨୧,୭୩୯ କୋଟି, ୨୦୨୦-୨୧ରେ ୫୦,୩୨୫ କୋଟି କୋଟି ଟଙ୍କା ରହିଥିଲା ।

Related post

Leave a Reply

Your email address will not be published. Required fields are marked *