କାର୍ତ୍ତିକ ମାହାତ୍ମ୍ୟ କଣ ଆସନ୍ତୁ ଜାଣିବା
- ଜୀବନ ଶୈଳୀରାଜ୍ୟ
- October 18, 2024
- No Comment
- 5
କାର୍ତ୍ତିକ ମାହାତ୍ମ୍ୟ ବିଷୟ ଅବଗତ ହେବା ପୂର୍ବରୁ ଆମେ ଏହା ବିଷୟରେ ସମ୍ୟକ ଧାରଣ ନେବା କେଉଁ ପୁରାଣ ଏହା ବିଷୟରେ କଣ କୁହେ ..
୧) ପୁରାଣ ଅନୁସାରେ, ଆଷାଢ ଶୁକ୍ଳ ଏକାଦଶୀଠାରୁ ଭଗବାନ ବିଷ୍ଣୁ ଚାରି ମାସ ଲାଗି ଅନନ୍ତ ଶୟନ କରନ୍ତି, ଏହି ଦିନକୁ ହରି ଶୟନ ଏକାଦଶୀ ବୋଲି କୁହାଯ।ଏ ଏବଂ କାର୍ତ୍ତିକ ଶୁକ୍ଳ ଏକାଦଶୀ ଅର୍ଥାତ୍ ହରି ଉଜାପନ ଏକାଦଶୀରେ ଭଗବାନ ବିଷ୍ଣୁ ନିଦରୁ ଉଠନ୍ତି। ଏହି ଚାରି ମାସ କେହି କେହି ଚର୍ତୁମାସ୍ୟା ବ୍ରତ ରଖି ହରି ଉଜାପନ ଏକାଦଶୀରେ ସମାପନ କରନ୍ତି।
(୨) ପଦ୍ମ ପୁରାଣ ଅନୁସାରେ, କାର୍ତ୍ତିକ ବ୍ରତ ଆଶ୍ଵିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।
ତେବେ ନାରଦ ପୁରାଣ ଅନୁସାରେ, କୃତ୍ତିକା ନକ୍ଷତ୍ରଯୁକ୍ତ ଚନ୍ଦ୍ରମାସ ହେଉଛି କାର୍ତ୍ତିକ ମାସ ଆଉ ଏହା ଆଶ୍ଵିନ ପରେ ପଡ଼େ।
(୩) ସ୍କନ୍ଧ ପୁରାଣରେ କୁହାଯାଇଛି ଯେ- କାର୍ତ୍ତିକ ପରି ମାସ ହିଁ ନାହିଁ, ଯେମିତି ଗଙ୍ଗା ପରି ତୀର୍ଥ ନାହିଁ କି ସତ୍ୟ ଯୁଗ ପରି ଯୁଗ ନାହିଁ।ଏସବୁ ବିଶ୍ବାସର ଆଧାରରେ କାର୍ତ୍ତିକକୁ ପୁଣ୍ୟ ମାସ ଭାବେ ଧରାଯାଏ।
(୪) ଏହା ଧର୍ମ ମାସ ହୋଇଥିବାରୁ ଓଡ଼ିଶାବାସୀ ମାସଟିକୁ ନିଷ୍ଠାର ସହ ପାଳନ କରିଥାନ୍ତି । ବିଶେଷକରି ମହିଳାମାନେ ମାସ ସାରା ହବିଷ କରି କାର୍ତ୍ତିକ ବ୍ରତ ରଖନ୍ତି। କେହି କେହି ମାସ ସାରା ପାଳି ନପାରିଲେ ମାସର ଶେଷ ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରନ୍ତି ।
(୫) ଏହି ମାସ ବଡ଼ ଦେଉଳରେ ଦୈନନ୍ଦିନ ରୀତିନୀତି ଛଡ଼ା ଆଉ କେତେକ ସ୍ଵତନ୍ତ୍ର ନୀତି ପାଳନ କରାଯାଏ। ସେଗୁଡ଼ିକ ହେଉଛି- ମହାପ୍ରଭୁଙ୍କ ରାଧାଦାମୋଦର ବେଶ, ପଞ୍ଚୁକ ବେଶ, ବାଳଧୂପ ଇତ୍ୟାଦି।ଏହି ସମୟରେ ଦୀପାବଳିରେ ଦୀପଦାନ, ବୋଇତ ବନ୍ଦାଣ, ରାଧାଦାମୋଦର ପୂଜା ସାଙ୍ଗକୁ ବଡ଼ଓଷା ବା ବାଲୁକା ପୂଜା ବି କରାଯାଏ ।
(୬) ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ପୁଣ୍ୟ ତିଥି ପଡ଼େ।ଏହାରି ଭିତରେ ରହିଛି ଗୋବତ୍ସା ଦ୍ୱାଦଶୀ, ଧନ ତ୍ରୟୋଦଶୀ, ନରକ ଚତୁର୍ଦ୍ଦଶୀ, କାଳୀ ପୂଜା, ଦୀପାବଳି ଓ ପୟାଶ୍ରାଦ୍ଧ, ଯମ ଦ୍ୱିତୀୟା, ନାଗ ଚତୁର୍ଥୀ, ଲାଭ ପଞ୍ଚମୀ, ଛଟ୍ ପୂଜା, ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଅଁଳା ନବମୀ, ଭୀଷ୍ମ ପଞ୍ଚକ, ଦେବଉତ୍ଥାପନ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ, ଗରୁଡ଼ ଦ୍ୱାଦଶୀ, ବୈକୁଣ୍ଠ ଚତୁର୍ଦ୍ଦଶୀ ଓ ରାସ ପୂର୍ଣ୍ଣିମା।
(୭) ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ, ଦ୍ଵାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁରଙ୍କ ରାଜରାଜେଶ୍ଵର ବେଶ, ସୁନାବେଶ ବା ରାଜବେଶ ଅନୁଷ୍ଠିତ ହୁଏ।
(୮) ପଞ୍ଚୁକ ମଳ ବା ଛଅ ଦିନ ହେଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବା ପରମ୍ପରା ରହିଛି।
(୯) କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ, ତାକୁ ମହିଳାମାନେ ସୁଦଶା ବ୍ରତ ରୂପେ ପାଳନ କରନ୍ତି। ଏଥିରେ ଲକ୍ଷ୍ମୀଙ୍କ ପୂଜା କରାଯାଏ । ଏଥିରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ (ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲଣୀ, ଦୁର୍ଗତିନାଶିନୀ ଓ ବିଷ୍ଣୁ ପାଟରାଣୀ) ମନେପକାଇ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯାଏ। ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ଯାଏ ବ୍ୟବହାର କରାଯାଏ।
(୧୦) କାର୍ତ୍ତିକ ମାସରେ ପୁରୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ହବିଷ୍ୟାଳି ଭିଡ଼ ଜମାନ୍ତି ।ସେମାନେ ସକାଳୁ ତୀର୍ଥ ପୁଷ୍କରିଣୀରେ ଗାଧେଇବା ପରେ ଚଉରା ମୂଳେ ମହା ସଂକଳ୍ପ କରି ଏକ ମାସ ଧରି ବ୍ରତ ପାଳନ କରନ୍ତି।ଏହି ସମୟରେ ସେମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ ସମେତ କାର୍ତ୍ତିକ ମାହାତ୍ମ୍ୟ ଶୁଣି ମହାପ୍ରସାଦ ସେବନ କରନ୍ତି।