
ସୁପ୍ରିମକୋର୍ଟ : ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ I
- ଦେଶ ବିଦେଶ
- November 28, 2024
- No Comment
- 18
କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଜଣେ ବ୍ୟକ୍ତି ଯେତେବେଳେ ଏକ ଧର୍ମର ସିଦ୍ଧାନ୍ତ ଓ ଧର୍ମୀୟ ବିଚାରଧାରାକୁ ନେଇ ବାସ୍ତବରେ ଅନୁପ୍ରାଣିତ ହୋଇଥାନ୍ତି, ସେତେବେଳେ ସେ ନିଜ ଧର୍ମରୁ ସମ୍ପୃକ୍ତ ଧର୍ମକୁ ପରିବର୍ତ୍ତିତ ହୋଇଥାନ୍ତି। କିନ୍ତୁ ଧର୍ମ ପରିବର୍ତ୍ତନର ଉଦ୍ଦେଶ୍ୟ କେବଳ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ତାକୁ ଅନୁମତି ଦିଆଯାଇପାରିବ ନାହିଁ। ମହିଳା ଜଣକ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିବା ପରେ ମଧ୍ୟ ନିଜକୁ ହିନ୍ଦୁ ବୋଲି ଦାବି କରୁଛନ୍ତି।
ଏହି ଆଧାରରେ ସେ ନିଯୁକ୍ତି ଲକ୍ଷ୍ୟରେ ଏସ୍ସି ପ୍ରମାଣପତ୍ର ମାଗୁଛନ୍ତି। ଏଭଳି ଦ୍ୱୈତ ଦାବି ଗ୍ରହଣୀୟ ନୁହେଁ। ତାଙ୍କୁ ଜାତିଗତ ପ୍ରମାଣପତ୍ର ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ସଂରକ୍ଷଣ ସୁବିଧା ହାସଲ ଲାଗି ବିନା କୌଣସି ଆସ୍ଥାରେ ନିଜ ଧର୍ମ ବଦଳାଇବା ସଂରକ୍ଷଣ ନୀତିର ମୌଳିକ ସାମାଜିକ ଉଦ୍ଦେଶ୍ୟକୁ ନୂ୍ୟନ କରିଦିଏ। ମହିଳାଙ୍କ ଏପରି କାର୍ଯ୍ୟ ବଞ୍ଚତ୍ତ ବର୍ଗଙ୍କ ଉତ୍ଥାନ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ନୀତିର ପରିପନ୍ଥୀ।
ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ନିଜ ଜାତିଗତ ପରିଚୟ ହରାଇ ଦେଇଥାଏ। ଏଭଳି ସ୍ଥିତିରେ ସେ କେଉଁ କାରଣରୁ ଧର୍ମ ପରିବର୍ତ୍ତନ କରିଥିଲେ ତାହାର ଯୁକ୍ତିଯୁକ୍ତ ପ୍ରମାଣ ଦେବେ। ଏଥିସହ ପୁଣି ମୂଳ ଧର୍ମକୁ ଫେରିଆସିଥିବା ନେଇ ମଧ୍ୟ ପ୍ରମାଣ ଦାଖଲ କରିବେ, ଯାହାକି ଆବେଦନକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ। ତେଣୁ ତାଙ୍କ ପିଟିଶନକୁ ଖାରଜ କରାଯାଇଥିବା ଖଣ୍ଡପୀଠ କହିଛନ୍ତି।