
ମଣିପୁରରେ ଅଶାନ୍ତ : ୬ ନିଖୋଜଙ୍କ ମୃତଦେହ ମିଳିବା ପରେ କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ
- ଦେଶ ବିଦେଶ
- November 17, 2024
- No Comment
- 18
୬ ଜଣ ନିଖୋଜଙ୍କ ମୃତଦେହ ମିଳିପାରେ ବଢିଛି ହିଂସା । ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଶନିବାର ତିନି ଜଣ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଥିଲେ ଉପଦ୍ରବକାରୀ ।
ଏପରିକି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ପୈତୃତ ସମ୍ପତ୍ତି ମଧ୍ୟ ଉପଦ୍ରବକାରୀଙ୍କ ନିଆଁରୁ ବାଦ୍ ପଡିନି । ପରିସ୍ଥିତି ଅଣାୟତ୍ତ ହେବାରୁ ରାଜ୍ୟ ସରକାର ଆଫସ୍ପା ପ୍ରତ୍ୟାହାରର ପୁନର୍ବିଚାର କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଛି । ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ମଣିପୁରରେ ଶୃଙ୍ଖଳା ଓ ଶାନ୍ତି ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ମନ୍ତ୍ରଣାଳୟ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛି । ପ୍ରେସ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଗତ କିଛି ଦିନ ହେବ ମଣିପୁରରେ ହିଂସା ତୀବ୍ର ହୋଇଛି ।
ସଂଘର୍ଷରେ ଉଭୟ ସମ୍ପ୍ରଦାୟର ସଶସ୍ତ୍ର ଉପଦ୍ରବକାରୀମାନେ ହିଂସାକାଣ୍ଡ ଘଟାଇଥିବା ଦେଖାଯାଇଛି । ଯେଉଁଥିପାଇଁ ଦୁର୍ଭାଗ୍ୟବଶତଃ ଲୋକଙ୍କ ଜୀବନ ଯାଇଛି ଏବଂ ସାଧାରଣ ବ୍ୟବସ୍ଥାରେ ବାଧା ସୃଷ୍ଟି କରିଛି । ହିଂସା ତଥା ବିଭ୍ରାନ୍ତିକର କାର୍ଯ୍ୟକଳାପରେ ଲିପ୍ତ ରହିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି । ପ୍ରଭାବଶାଳୀ ଯାଞ୍ଚ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ମାମଲା NIAକୁ ହସ୍ତାନ୍ତର କରାଯାଇଛି ।
ହିଂସାଗ୍ରସ୍ତ ଜିରିବାମ ଜିଲ୍ଲାରେ କୁକି ବିଦ୍ରୋହୀମାନେ ୮ ମାସର ଶିଶୁ ସମେତ ୩ ଜଣ ମହିଳା ଏବଂ ୩ ଶିଶୁଙ୍କ ହତ୍ୟା କରିବା ପରେ ଅଶନ୍ତି ବଢିଯାଇଛି । ଗତ ମେ ମାସରୁ କୁକି-ମୈତେଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ମଣିପୁରରେ ହିଂସା ଲଗି ରହିଛି । ଏଥିରେ ୨୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହେଲାଣି। ବାସଚ୍ୟୁତ ହେଲେଣି ୬୦ ହଜାର ଲୋକ ।