
ଆସୁଛି ମହାଶିବରାତ୍ରୀ… ସଜେଇ ହେଉଛି ଏକାମ୍ର କ୍ଷେତ୍ର
- ରାଜ୍ୟ
- February 22, 2025
- No Comment
- 9
୪ ଦିନ ପରେ ପବିତ୍ର ମହାଶିବରାତ୍ରୀ। ଏଥିପାଇଁ ସଜେଇ ହେଉଛି ଏକାମ୍ର କ୍ଷେତ୍ର। ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ଶୈବ ପୀଠରେ ଚାଲିଛି ପ୍ରସ୍ତୁତି । ପ୍ରାୟ ଅଧିକାଂଶ ପୀଠରେ ରଙ୍ଗ ଓ ସଫେଇ କାର୍ଯ୍ୟ ଚାଲିଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଉଭୟ ଓବିସିସି ଓ ପୂର୍ତ୍ତ ବିଭାଗ ଲୁହା ବ୍ୟାରିକେଡ କରିଛନ୍ତି । ରୌଦ୍ର ତାପରୁ ରକ୍ଷା ନିମନ୍ତେ ବ୍ୟାରିକେଡ୍ ଉପରେ କପଡା ପାଲରେ ସିଲିଂ କରି ପଙ୍ଖା ଲଗାଯିବ ।
ମନ୍ଦିର ଚତୁଃପାର୍ଶ୍ୱ ଓ ଜଗମୋହନ ଆଲୋକୀକରଣ କାର୍ଯ୍ୟ ମଧ୍ୟ ବିଏମ୍ସି ତରଫରୁ ଅଧାଧିକ ସରିଲାଣି । ପାର୍କିଂ ଅଞ୍ଚଳ ସଫେଇ କରାଯାଉଛି । ସେସବୁ ସ୍ଥାନରେ ଡାକବାଜି ଯନ୍ତ୍ର ଯୋଗେ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ସୂଚନା ପ୍ରଦାନ ବ୍ୟବସ୍ଥା ହେବ । ଶ୍ରୀଲିଙ୍ଗରାଜଙ୍କ ପୀଠ ବ୍ୟତିତ ବ୍ରହ୍ମେଶ୍ୱର, ମେଘେଶ୍ୱର, ଭାସ୍କରେଶ୍ୱର, ଭୀମେଶ୍ୱର, ମୁକ୍ତେଶ୍ୱର, ଉତ୍ତରେଶ୍ୱର, କପିଳେଶ୍ୱର, କେଦାରଗୌରୀ ଆଦି ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଜୋରସୋର ଚାଲିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେବାୟତମାନଙ୍କୁ ଏକତ୍ରିତ କରି ନିର୍ଦ୍ଧାରିତ ସମୟରେ ମହାଦୀପ ଉଠାଇବା । ଶିବରାତ୍ରୀ ପାଇଁ ୫ଟି ପ୍ରସ୍ତୁତି ବୈଠକ ହୋଇଥିଲେ ମଧ୍ୟ ଏଯାବତ୍ ପୂଜାପଣ୍ଡା ନିଯୋଗ ଯୋଗ ନଦେବା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି । ତେଣୁ ଏହି ନିଯୋଗ ପ୍ରତିନିଧିଙ୍କୁ ଦିନେ କିମ୍ବା ୨ ଦିନ ମଧ୍ୟରେ ଡକାଇ ଆଲୋଚନା କରାଯିବ । ଏଣେ ବ୍ରାହ୍ମଣ ନିଯୋଗର ନିର୍ବାଚନ ଫଳାଫଳକୁ ନେଇ ଟଣାଓଟରା ହୋଇ ବିଭାଜନ ମୁହାଁ ହୋଇଛି ନିଯୋଗ ।
ଯାହାକି ଚିନ୍ତାର ବିଷୟ । କାରଣ ଏହି ଗୋଟିଏ ନିଯୋଗ ନିୟନ୍ତ୍ରଣରେ ଉକ୍ତ ଦିନର ୧୮ ପ୍ରକାର ସେବା ରହିଛି । ଏସବୁ ସେବାରେ ବିଭାଜିତ ୨ ପକ୍ଷର ସେବାୟତଙ୍କ ସେହିଦିନ ପାଇଁ ପାଳି ରହିଛି । ତେଣୁ ଏହି ବିଭାଜନର ଅସନ୍ତୋଷରୁ ଠାକୁରଙ୍କ ନୀତି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ସେବାୟତଙ୍କୁ ପ୍ରଶାସନ ମନାଇ ପାରିଲେ ମହାଦୀପ ଠିକଣା ସମୟରେ ଉଠିପାରିବ ।