ଆସୁଛି ବାତ୍ୟା ଫେଙ୍ଗାଲ!
- ଦେଶ ବିଦେଶ
- November 22, 2024
- No Comment
- 6
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ଲଘୁଚାପ ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗର GFS ମଡେଲର ଆକଳନ ଅନୁସାରେ ଭାରତ ମହାସାଗର ନିକଟ ସୁମିତ୍ରା ଦ୍ବୀପ ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
୨୪ ତାରିଖରେ ଅବପାତରେ ପରିଣତ ହେବ । ଏହା ୨୫ ତାରିଖରେ ଡିପ ଡିପ୍ରେସନ କିମ୍ବା ବାତ୍ୟାରେ ପରିଣତ ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ପେଙ୍ଗାଲ । କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖରେ ତାମିଲନାଡୁ ଉପକୂଳ ଛୁଇଁପାରେ ।
ଏପଟେ NCEP GFS ମଡେଲ କହୁଛି ଆସନ୍ତା ୨୫ ସୁଦ୍ଧା ଭୀଷଣ ବାତ୍ୟା ସମ୍ଭାବନା ରହିଛି । ତାମିଲନାଡୁ ଉପକୂଳ ଅତିକ୍ରମ କରିବା ପୂର୍ବରୁ ଦୁର୍ବଳ ହେବ । ପ୍ରଭାବରେ ୨୪ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଦ୍ବୀପରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ନିକୋବର ଦ୍ବିପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଇଏମଡି ।
ୱିଣ୍ଡିର ECMWF ମଡେଲର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ୨୪ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ । କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସୁଦ୍ଧା ତାମିଲନାଡୁ ଅତିକ୍ରମ କରିବ । ଏଥିପାଇଁ ୨୫ରୁ ୨୭ ତାରିଖରେ ଦକ୍ଷିଣ ତାମଲନାଡୁରେ ପ୍ରବଳ ବର୍ଷା ହୋଇପାରେ ।
ଏପଟେ ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ । ତାଙ୍କ ଆକଳନ ଅନୁସାରେ ଚଳିତ ସପ୍ତାହ ଶେଷ ଆଡ଼କୁର ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ତାମିଲନାଡୁ କିମ୍ବା ଶ୍ରୀଲଙ୍କାରେ ହିଟ କରିବ । ବାତ୍ୟା ପେଙ୍ଗାଲର ପ୍ରଭାବ ଶ୍ରୀଲଙ୍କା ସମେତ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିପାରେ । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।