
Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା
- ଖେଳ ଖବର
- February 22, 2025
- No Comment
- 11
ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି । ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୧୫ ରନ କରିଥିଲା। ଜବାବରେ ଆଫଗାନିସ୍ତାନ ଦଳ ୨୦୮ ରନରେ ଅଲଆଉଟ ହୋଇଥିଲା । ସେପଟେ ଆଫଗାନିସ୍ତାନର ରହମତ ଶାହଙ୍କ ୯୦ ରନ ବେକାର ଯାଇଛି ।
୩୧୬ ରନର ବିଶାଳ ଟାର୍ଗେଟକୁ ପିଛା କରିଥିବା ଆଫଗାନିସ୍ତାନ ଦଳର ଆରମ୍ଭ ଭଲ ନଥିଲା । ଦଳର ଷ୍ଟାର ବ୍ୟାଟର ରହମନୁଲ୍ଲାହ ଗୁରବାଜ ୧୪ ବଲରେ ୧ ଚୌକା ସହାୟତାରେ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଇବ୍ରାହିମ୍ ଜାଦ୍ରନ୍ ମଧ୍ୟ ୧୭ ରନ୍ କରି ବିଦାୟ ନେଇଥିଲେ। ଏହା ପରେ ସିଦିକୁଲ୍ଲା ଅଟଲ ୧୬ ରନ ଏବଂ ଅଧିନାୟକ ହଶମତୁଲ୍ଲା ଶାହିଦି ଶୂନ ରନରେ ଆଉଟ ହୋଇଥିଲେ।
ଆଫଗାନିସ୍ତାନ ମାତ୍ର ୫୦ ରନରେ ୪ ୱିକେଟ ହରାଇଥିଲା। ଗୋଟିଏ ପଟେ ରହମତ ଶାହ ଦୃଢ଼ ରହିଥିଲେ ମଧ୍ୟ ଅନ୍ୟପଟେ ଆଫଗାନ ବ୍ୟାଟର ଆଉଟ ହୋଇ ଚାଲିଥିଲେ। ଏହି ସମୟରେ ଆଜମାତୁଲ୍ଲା ଉମରଜାଇ ୧୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ମହମ୍ମଦ ନବି ମଧ୍ୟ ୧୩ ରନ୍ କରି ଆଉଟ୍ ହୋଇଥିଲେ। ରସିଦ ଖାନ ଆସିବା ମାତ୍ରେ ପ୍ରଥମ ବଲରେ ଛକା ମାରିଥିଲେ। ସେ ୧୩ ବଲ୍ରେ ତିନୋଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୮ ରନ୍ କରିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ଏହା ବ୍ୟତୀତ, ଭିଆନ ମୁଲଡର ଏବଂ ଲୁଙ୍ଗି ଏନଗିଡି ଦୁଇଟି ଲେଖାଏଁ ସଫଳତା ପାଇଥିଲେ। କେଶବ ମହାରାଜ ଏବଂ ମାର୍କୋ ଜାନସେନ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ପୂର୍ବରୁ ବ୍ୟାଟିଂରେ ରୟାଲ ରିକେଲଟନ ୧୦୩, ତେମ୍ବା ବାଭୁମା ୫୮, ରାସି ଭାନ ଡେର ଡୁସେନ ୫୨ ଏବଂ ଏଡେନ ମାର୍କରମ ମଧ୍ୟ ୫୨ ରନ କରିଥିଲେ।