ହଜିଯିବ ଦକ୍ଷିଣ କୋରିଆ! ଦ୍ରୁତ ଗତିରେ କମୁଛି ପ୍ରଜନନ ହାର

ହଜିଯିବ ଦକ୍ଷିଣ କୋରିଆ! ଦ୍ରୁତ ଗତିରେ କମୁଛି ପ୍ରଜନନ ହାର

୨୦୨୩ରେ ଦକ୍ଷିଣ କୋରିଆରେ ମହିଳାଙ୍କ ପିଛା ଜନ୍ମ ହାର ୦.୭୨ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ତାହା ଆହୁରି କମି ୦.୬ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ବିଶ୍ୱରେ ହାରାହାରି ପ୍ରଜନନ ହାର ୨.୩ ଥିବାବେଳେ ଦକ୍ଷିଣ କୋରିଆର ପ୍ରଜନନ ହାର ସାରା ବିଶ୍ୱରେ ସର୍ବନିମ୍ନ । ସେପଟେ ଦେଶରେ ବୟସ୍କ ଲୋକଙ୍କ ସଂଖ୍ୟା ମଧ୍ୟ ତୀବ୍ର ଗତିରେ ବୃଦ୍ଧି ପାଉଛି । ୨୦୧୯ରେ ଦେଶରେ ବୟସ୍କଙ୍କ ଜନସଂଖ୍ୟା ୧୪.୯ ପ୍ରତିଶତ ଥିବାବେଳେ ୨୦୬୭ରେ ତାହା ୪୬.୫ ପ୍ରତିଶତ ହେବାର ଆକଳନ ରହିଛି ।

ଏଭଳିସ୍ଥିତିରେ ବିଶେଷଜ୍ଞମାନେ ଜନସଂଖ୍ୟା ହ୍ରାସ ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ଦେଶର ଜନସଂଖ୍ୟା ୫୨ ନିୟୁତ ରହିଛି । ଚଳିତ ଶତାଦ୍ଦୀର ଶେଷ ବେଳକୁ ତାହା ଦୁଇ ତୃତୀୟାଂଶ ଯାଏ କମିପାରେ ବୋଲି ଆକଳନ ହେଉଛି । ଏହି ସ୍ଥିତି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ ବି କରିପାରେ । ଦେଶରେ ଜନସଂଖ୍ୟା ହ୍ରାସ ସଙ୍କଟର ବିଭିନ୍ନ କାରଣ ରହିଛି । ସେଥିମଧ୍ୟରୁ ପ୍ରଥମଟି ହେଲା କଷ୍ଟ ଅଫ୍‌ ଲିଭିଂ(ଦୈନନ୍ଦିନର ଖର୍ଚ୍ଚ) ଲଗାତର ବଢ଼ିବା । ଦୈନନ୍ଦିନର ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଦମ୍ପତି ଅଧିକ ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି । ଦ୍ୱିତୀୟଟି ହେଲା କମ୍‌ ପ୍ରଜନନ ହାର ।

ଦକ୍ଷିଣ କୋରିଆରେ ପ୍ରଜନନ ହାର ସାରା ବିଶ୍ୱରେ ସବୁଠୁ କମ୍‌ ରହିଛି । ସହରାଞ୍ଚଳରେ ମହିଳାମାନେ ସନ୍ତାନ ଜନ୍ମ ବଦଳରେ ନିଜର କ୍ୟାରିୟରକୁ ପ୍ରାଥମିକତା ଦେଉଛନ୍ତି । ଘରକାମରେ ମହିଳାମାନେ ପୁରୁଷଙ୍କଠାରୁ ସମାନ ଭାଗିଦାରୀ ଆଶା କରୁଛନ୍ତି । ଚଳିତବର୍ଷ କରାଯାଇଥିବା ଏକ ସର୍ଭେ ଅନୁସାରେ ସେଠାକାର ୯୩ ପ୍ରତିଶତ ମହିଳା ବିବାହ କରିବାକୁ ଚାହୁଁନାହାନ୍ତି । ସନ୍ତାନ ଜନ୍ମ ଓ ଘରକାମକୁ ସେମାନେ ବୋଝ ବୋଲି ମନେ କରୁଛନ୍ତି I

ଦେଶ ଇତିହାସରେ ଜନ୍ମହାର ଏବେ ରେକର୍ଡ ନିମ୍ନ ସ୍ତରରେ ରହିଛି । ବିଶେଷଜ୍ଞମାନେ ଏହାକୁ ବିପଦର ଘଣ୍ଟି ଭାବେ ମନେ କରୁଛନ୍ତି । ଯଦି ଏହି ଧାରା ଜାରି ରହେ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଦେଶର ଜନସଂଖ୍ୟା ଦୁଇ ତୃତୀୟାଂଶ ଯାଏ କମିପାରେ । ଏହାଯୋଗୁ ଦେଶର ଅସ୍ତିତ୍ୱ ବିପଦରେ ପଡି଼ଯିବ । ଏପରିକି ଦକ୍ଷିଣ କୋରିଆ ପୃଥିବୀପୃଷ୍ଠରୁ ଗାଏବ ହେବାରେ ପ୍ରଥମ ଦେଶ ହୋଇପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

Related post

ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯ ଜଣଙ୍କ ମୃତ୍ୟୁ !

ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯…

ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତଙ୍କ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ୧୭୫…

Leave a Reply

Your email address will not be published. Required fields are marked *