ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି, ମାଉସୀ ମା’ଙ୍କ ହାତରୁ ଖାଇବେ ପୋଡ଼ପିଠା
- ରାଜ୍ୟ
- July 4, 2025
- No Comment
- 135
ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ । ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି । ତଥାପି ପିଠା ଖାଇବା ପାଇଁ ତାଙ୍କର ରୁଚି ଅଧିକ ଥାଏ । ତେଣୁ ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ । ବର୍ତ୍ତମାନ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ବାହୁଡ଼ା ଯାତ୍ରା ଦିନ ମାଉସୀ ମା’ ପାଖରୁ ପୋଡ଼ ପିଠା ଖାଇବେ ମହାପ୍ରଭୁ । ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା । ୯ ଦିନ ଧରି ମାଉସୀ ଘରେ ଲୀଳା ଖେଳା କରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ପୁଣି ଫେରିବେ ଶ୍ରୀମନ୍ଦିରକୁ । ମହାମାୟା ମା ଲକ୍ଷ୍ମୀଙ୍କ ପାଖକୁ ଫେରିବେ କାଳିଆ ଠାକୁର । ତେବେ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । ତେଣୁ ବାହୁଡା ଯାତ୍ରା ଅବସରରେ ମାଉସୀ ମା’ଙ୍କ ପୂଜକ ବିଶ୍ବନାଥ ମିଶ୍ର ମନ୍ଦିରରେ ପୋଡ଼ ପିଠା ପ୍ରସ୍ତୁତ କରିଛନ୍ତି । ଯାହାକୁ ରଥାରୁଢ ମହାପ୍ରଭୁଙ୍କୁ ଅର୍ପଣ କରାଯିବ l
ମହାପ୍ରଭୁଙ୍କ ପାଇଁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ପୋଡ଼ପିଠା ପ୍ରସ୍ତୁତି ବି ନିଆରା । ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ । ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନୋଟି କୁଡୁଆରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ଇତିମଧ୍ୟରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଭାଦ୍ରବ ମାସ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଦେବୀ ଦକ୍ଷିଣକାଳୀଙ୍କୁ ଆଜ୍ଞାମାଳ ଦେଇ ସାତପୁରୀ ପିଠା କରିବା ପାଇଁ ଆଜ୍ଞା ଦେଇଥାନ୍ତି । ତାଙ୍କ ଆଜ୍ଞାକୁ ପାଳନ କରି ଦେବୀ ଦକ୍ଷିଣକାଳୀ ଅମାବାସ୍ୟା ଦିନ ତିନୋଟି ତାଡ଼ରେ ସାତ ପ୍ରକାର ପୁରଦିଆ ସୁଆଦିଆ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଖୁଆଇଥାନ୍ତି । ସେହିପରି ମକର ସଂକ୍ରାନ୍ତି ଦିନ ସ୍ବୟଂ ମହାଲକ୍ଷ୍ମୀ ୮୪ ପ୍ରକାରର ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ମଣୋହି କରାଇଥାନ୍ତି । ଏହାବ୍ୟତୀତ ଠାକୁରଙ୍କ ପାଖରେ ପ୍ରତିଦିନ ବିଭିନ୍ନ ପ୍ରକାର ପିଠା ଭୋଗ ଲାଗିଥାଏ