
ବର୍ଷ ବର୍ଷ ଧରି କାହିଁକି ଖରାପ ହୁଏନାହିଁ ଗଙ୍ଗାଜଳ ?
- ସ୍ପେସିଆଲ ରିପୋର୍ଟ
- February 5, 2025
- No Comment
- 15
ଭାରତୀୟ ସଂସ୍କୃତି , ପରମ୍ପରା , ଆଧ୍ୟାତ୍ମ ଏବଂ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଗଙ୍ଗାନଦୀ । ଲୋକ ଗଙ୍ଗାନଦୀକୁ ପବିତ୍ରତାର ପ୍ରତୀକ ମାନନ୍ତି ଏବଂ ପୂଜା ମଧ୍ୟ କରନ୍ତି । ଗଙ୍ଗାଘାଟରେ ପ୍ରତିଦିନ ଗଙ୍ଗାଆଳତୀ କରାଯାଏ । ଗଙ୍ଗାପାଣି ମଧ୍ୟ ଶୁଦ୍ଧତାର ପରିଚୟ ଦିଏ , ଲମ୍ବା ସମୟ ଧରି ଏହି ପାଣି ଖରାପ ହୁଏନାହିଁ କି ଏଥିରୁ ଦୁର୍ଗନ୍ଧ ବାହାରେ ନାହିଁ ।ଆସନ୍ତୁ ଉଭୟ ବିଜ୍ଞାନ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏ ବିଷୟରେ ଆଜି ଜାଣିବାକୁ ଚେଷ୍ଟା କରିବା ।
ଗଙ୍ଗାଜଳ ଶୁଦ୍ଧତା ପଛରେ ଅନେକ ବୈଜ୍ଞାନିକ କାରଣ ଲୁଚିରହିଛି । ଏହି ପାଣିକୁ ବର୍ଷ ବର୍ଷ ଧରି ଖରାପ ନକରିବାର ମୁଖ୍ୟ ତତ୍ତ୍ବ ହେଉଛି ବେକ୍ଟିରିୟୋଫେଜ୍ । ନ୍ୟାସନାଲ୍ ଏନଭାର୍ଣ୍ଣମେଣ୍ଟାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (NEERI) ଦ୍ବାରା କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ , ଗଙ୍ଗାନଦୀର ପାଣିରେ ଥିବା ବେକ୍ଟିରିୟୋଫେଜ୍ ଏକ ବିଶେଷ ପ୍ରକାରର ଭାଇରସ୍ ଯାହା ପାଣିରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ବିନାଶ କରିଥାଏ । ଏହା ଗଙ୍ଗାଜଳରେ ଏକ ପ୍ରାକୃତିକ ଫିଲ୍ଟରର କାମ କରିଥାଏ । ଯାହାଦ୍ବାରା ଗଙ୍ଗାପାଣି ଶୁଦ୍ଧ ଏବଂ ସୁରକ୍ଷିତ ରହିଥାଏ ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(CPCB) ର ରିପୋର୍ଟ ମୁତାବକ , ଗଙ୍ଗାନଦୀର ପାଣିରେ ଅନ୍ୟ ନଦୀର ପାଣି ତୁଳନାରେ ଅଧିକ ମାତ୍ରାରେ ଅକ୍ସିଜେନ୍ ମିଳିଥାଏ । ପାଣିରେ ଅକ୍ସିଜେନ୍ ର ଅଧିକ ମାତ୍ରା ଯୋଗୁଁ ଏହାର ଗୁଣବତ୍ତା ମଧ୍ୟ ଲମ୍ବା ସମୟ ଧରି ରହିଥାଏ । ଏହା ପାଣିକୁ ଖରାପ ନହେବା ଏବଂ ଦୁର୍ଗନ୍ଧ ହେବାରୁ ମଧ୍ୟ ବଂଚାଇଥାଏ । ଅକ୍ସିଜେନର ଏ ଗୁଣବତ୍ତା ଗଙ୍ଗାନଦୀ ଉପର କ୍ଷେତ୍ରରୁ ଆରମ୍ଭ କରି ନିମ୍ନ ପର୍ଯ୍ୟନ୍ତ ରହିଥାଏ । ଖାସ୍ କରି ହରିଦ୍ବାର ଏବଂ ଋଷିକେଷ୍ ଭଳି ସ୍ଥାନରେ ଏହା ଅଧିକ ମାତ୍ରାରେ ଥାଏ । ଏହି କାରଣ ପାଇଁ ଏଭଳି ସ୍ଥାନକୁ ତୀର୍ଥସ୍ଥଳୀ ଏବଂ ଏଠାକାର ପାଣିକୁ ପବିତ୍ରର ମାନ୍ୟତା ମଧ୍ୟ ଦିଆଯାଇଛି ।
ବୈଜ୍ଞାନିକ କାରଣ ସହିତ ଗଙ୍ଗାଜଳର ମହତ୍ତ୍ବ ଧାର୍ମିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଅଧିକ ଥାଏ । ହିନ୍ଦୁଧର୍ମରେ ଗଙ୍ଗାନଦୀକୁ ଦେବୀ ରୂପେ ପୂଜା କରାଯାଏ । ମାନ୍ୟତା ରହିଛି ଗଙ୍ଗାଜଳରେ ସ୍ନାନ କରିବା ଏବଂ ଘରେ ରଖିବା ଦ୍ବାରା ପାପର ବିନାଶ ହୋଇଥାଏ । ଘରେ ଶାନ୍ତି ଏବଂ ସମୃଦ୍ଧିର ବାସ ହୋଇଥାଏ । ଏହାଛଡ଼ା ଗଙ୍ଗାଜଳକୁ ପୂଜାପାଠ , ହୋମଯଜ୍ଞ ଏବଂ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ବ୍ୟବହାର କରାଯାଏ । ମୃତ୍ୟୁ ପୂର୍ବରୁ ଗଙ୍ଗାପାଣି ପିଇଲେ ମୁକ୍ତିର ମାର୍ଗ ପ୍ରଶସ୍ତ ହୁଏ ବୋଲି ଶାସ୍ତ୍ର କୁହେ ।
ଗଙ୍ଗାଜଳକୁ ଘରେ ରଖିବାର ଅନେକ ଫାଇଦା ମଧ୍ୟ ରହିଛି । ଏହି ପାଣି ପ୍ରାକୃତିକ ରୂପରେ ଶୁଦ୍ଧ । ଏଥିପାଇଁ ଏଥିରେ ବ୍ୟାକ୍ଟେରିଆ କିମ୍ବା ଅନ୍ୟ ସୂକ୍ଷ୍ମଜୀବ ବଂଶବୃଦ୍ଧି କରିପାରନ୍ତି ନାହିଁ । ଧାର୍ମିକ ମାନ୍ୟତା ଅନୁସାରେ , ଗଙ୍ଗାଜଳ ଘରେ ରଖିବା ଦ୍ବାରା ସକରାତ୍ମକ ଉର୍ଜ୍ଜା ଘରସାରା ଖେଳିଯାଏ ଏବଂ ଘରେ ପବିତ୍ର ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୁଏ । ସ୍ବାସ୍ଥ୍ୟ ପାଇଁ ମଧ୍ୟ ଗଙ୍ଗାଜଳ ଖୁବ୍ ଉପଯୋଗୀ ।
ପୁରୁଣା ସମୟରେ ଗଙ୍ଗାଜଳକୁ ଔଷଧ ଭଳି ବ୍ୟବହାର କରାଯାଉଥିଲା । ବୟୋଜ୍ୟେଷ୍ଠ କହୁଥିଲେ , ପାଣିରେ ଗଙ୍ଗାପାଣି ମିଶାଇ ନିୟମିତ ଗାଧୋଇବା ଦ୍ବାରା ପେଟଜନିତ ସମସ୍ୟାରୁ ଉପସମ ମିଳିଥାଏ । କେହି କେହି ଚର୍ମରୋଗ ପାଇଁ ମଧ୍ୟ ଗଙ୍ଗାଜଳକୁ ମହୌଷଧୀ ବୋଲି କୁହନ୍ତି । ଏଥିପାଇଁ ଗଙ୍ଗାଜଳକୁ ଏତେ ପବିତ୍ର ବୋଲି କୁହାଯାଏ ।